Abstract
Indian Journal of Modern Research and Reviews, 2026; 4(2): 447-451
ଆନ୍ଧ୍ର-ଓଡିଶା ଉପାନ୍ତ ଅଞ୍ଚଳର ଲୋକ ଚଳଣି
Author Name: ଡକ୍ଟର ନଳିନୀ କୁମାର ପାଣିଗ୍ରାହୀ
Abstract
<p>ଭାରତୀୟ ସାଂସ୍କୃତିକ ଜୀବନବୋଧର ଅନ୍ତଃସଲିଳା ପ୍ରବାହ ହେଉଛି ‘ଲୋକାଚାର’, ଯାହା ମାନବୀୟ ସଦାଚାର ଓ ଶିଷ୍ଟ ଜୀବନଚର୍ଯ୍ୟାର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ। ଭୌଗୋଳିକ ସୀମାରେଖା ଅପେକ୍ଷା ଆତ୍ମିକ ସଂଯୋଗକୁ ପ୍ରାଧାନ୍ୟ ଦେଉଥିବା ଆନ୍ଧ୍ର-ଓଡ଼ିଶା ଉପାନ୍ତ ଅଞ୍ଚଳରେ ଏହି ଲୋକଚଳଣିର ଏକ ସମନ୍ୱୟବାଦୀ ସାରସ୍ୱତ ରୂପ ପରିଲକ୍ଷିତ ହୁଏ। ଭାଷାଗତ ବୈଷମ୍ୟ ସତ୍ତ୍ୱେ, ଏହି ସୀମାନ୍ତ ପ୍ରଦେଶର ଜନଜୀବନ ସଂସ୍କୃତି ଦୃଷ୍ଟିରୁ ଅତ୍ୟନ୍ତ ରୁଦ୍ଧିମନ୍ତ। ଆଲୋଚ୍ୟ ଗବେଷଣାତ୍ମକ ପ୍ରବନ୍ଧରେ ଉପାନ୍ତ ଇଲାକାର ସେହି ଅନାବିଳ ଲୋକଚଳଣିର ସୂକ୍ଷ୍ମ ଅନୁଧ୍ୟାନ କରାଯାଇଛି।<em> </em>ଏହି ପରିପ୍ରେକ୍ଷୀରେ, ସମାଜର ମୂଳଦୁଆ ସଦୃଶ ଯୌଥ ପାରିବାରିକ ଶୃଙ୍ଖଳା, ପିତୃତନ୍ତ୍ର ଓ ମାତୃତନ୍ତ୍ରର ସୁନ୍ଦର ସମନ୍ୱୟ ଏବଂ ପାରସ୍ପରିକ ସ୍ନେହ-ସହଭାଗିତାର ଚିତ୍ର ଏଠାରେ ସ୍ପଷ୍ଟ। ଏଥିସହ, ମହାଭାରତୀୟ ପରମ୍ପରାର ‘ଅତିଥି ଦେବୋ ଭବଃ’ ବାକ୍ୟକୁ ସାର୍ଥକ କରୁଥିବା ପାଦଧୌତ ରୀତି, ଜାତିଗତ ବୈଚିତ୍ର୍ୟ ଆଧାରରେ ଆପ୍ୟାୟନର ଶୈଳୀ ଏବଂ ଗୁରୁଜନମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ମହାର୍ଘ ପରମ୍ପରାକୁ ବିଶ୍ଳେଷଣ କରାଯାଇଛି। ମାନବ ଜୀବନର ଦୁଇଟି ମୁଖ୍ୟ ସନ୍ଧିକ୍ଷଣ—ଜନ୍ମ ଓ ମୃତ୍ୟୁକାଳୀନ ଶୁଦ୍ଧି-ଅଶୁଦ୍ଧିର ସାମାଜିକ ବିଧାନ ସମେତ ନାରୀମାନଙ୍କ ଋତୁସ୍ରାବ କାଳୀନ ସଂସ୍କାରକୁ ଏଥିରେ ସ୍ଥାନ ଦିଆଯାଇଛି। ପ୍ରକୃତି ପ୍ରତି କୃତଜ୍ଞତା ଓ ଗ୍ରାମ୍ୟ କଲ୍ୟାଣ ନିମନ୍ତେ ପାଳିତ ବିଭିନ୍ନ ପର୍ବପର୍ବାଣୀ ଏବଂ ସାମୂହିକ ନାମସଂକୀର୍ତ୍ତନ ଭଳି ଧାର୍ମିକ ବିଶ୍ୱାସର ପ୍ରାସଙ୍ଗିକତାକୁ ମଧ୍ୟ ପ୍ରବନ୍ଧରେ ଉନ୍ମୋଚନ କରାଯାଇଛି। ବସ୍ତୁତଃ, ଆଧୁନିକତାର କରାଳ ଗ୍ରାସ ମଧ୍ୟରେ ସୀମାନ୍ତ ଅଞ୍ଚଳର ଏହି ନିରନ୍ତର ପ୍ରବହମାନ ଲୋକଚଳଣି କିପରି ମାନବୀୟ ମୂଲ୍ୟବୋଧକୁ ସୁରକ୍ଷିତ ରଖିଛି, ତାହାର ତାତ୍ତ୍ୱିକ ଓ ସାମାଜିକ ମୂଲ୍ୟାଙ୍କନ କରିବା ହିଁ ଏହି ଗବେଷଣାର ଅଭିପ୍ରାୟ।</p>
Keywords
ଲୋକଚଳଣି, ଉପାନ୍ତ ଅଞ୍ଚଳ, ସାଂସ୍କୃତିକ ମୂଲ୍ୟବୋଧ, ଯୌଥ ପରିବାର, ଅତିଥି ସତ୍କାର, ଶୁଦ୍ଧି-ଅଶୁଦ୍ଧି, ସମନ୍ୱୟବାଦ।
